ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଭୁବନେଶ୍ୱର: ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜିଠୁ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଲୋକସେବା ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟପାଳଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ଏଥି ସହ ରାଜ୍ୟର ସାମଗ୍ରିକ ପ୍ରଗତିକୁ ପାଇଁ ପ୍ରମୁଖ ପ୍ରଶାସନିକ ପ୍ରାଥମିକତା, ଜାରି ରହିଥିବା ବିକାଶମୂଳକ ପଦକ୍ଷେପ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଥିଲେ। ପ୍ରଭାବଶାଳୀ ଶାସନ ସୁନିଶ୍ଚିତ କରିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟ ପ୍ରଶାସନ ମଧ୍ୟରେ ସୁଗମ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋଚନା ମଧ୍ୟ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଜନସେବା ପାଇଁ ପ୍ରଶାସନର ନିଷ୍ଠାପରତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି ଲକ୍ଷ୍ୟ ହାସଲ ପାଇଁ ଦଳଗତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ ଆଗାମୀ ବର୍ଷରେ ନିରନ୍ତର ବିକାଶ ଓ ଓଡ଼ିଶାବାସୀଙ୍କ ମଙ୍ଗଳ ଉପରେ ଗୁରୁତ୍ୱାରୋପ କରିଥିଲେ।

ସୂଚନାଯୋଗ୍ୟ, ଦାୟିତ୍ଵ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ମୁଖ୍ୟ ଶାସନ ସଚିବ । ଏଥିସଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ପ୍ରଥମ ଦିନରେ ଆମେ ସବୁଠାରୁ ଅଧିକ କାମ କରିବୁ ବୋଲି ଅନୁ ଗର୍ଗ କହିଥିଲେ ।

ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ଦଫା ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୩୬ ସୁଦ୍ଧା ୫ ଶହ ବିଲିଅନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ ରହିଛି ଏବଂ ଶ୍ରେଷ୍ଠ ୫ ବିକଶିତ ରାଜ୍ୟରେ ଓଡ଼ିଶାକୁ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଶିଳ୍ପାୟନର ଦୃତ ବିକାଶ ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଉତ୍କର୍ଷ କେନ୍ଦ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁପ୍ରକାର ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ଗୁରୁତ୍ବ ଆରୋପ କରାଯାଇଛି । ସଚିବାଳୟଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ନିର୍ଦ୍ଦେଶ ପାଳନ ନ ହେଲେ ଖିଲାପକାରୀଙ୍କୁ କୈଫିୟତ ତଲବ ପାଇଁ ବି କୁହାଯାଇଛି ।

Leave a Reply

Your email address will not be published. Required fields are marked *