ଏମ୍‌ସରେ ପ୍ରତିଷ୍ଠା ହେବ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌

ଭୁବନେଶ୍ୱର,: ଚଳିତ ବର୍ଷ ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱର ପାଇଁ ଖୁବ ଭଲ ସମୟ ରହିଛି । ଭୁବନେଶ୍ୱରକୁ ଆସୁଥିବା ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଥିବା ଲକ୍ଷ୍ୟକୁ ଆଉ ପାଦେ ଆଗେଇନେବେ ଭୁବନେଶ୍ୱର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲ । ଗୋଟିଏ ପଟେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଟ୍ରମା କେନ୍ଦ୍ର ଲୋକାର୍ପଣ ପାଇଁ ପ୍ରସ୍ତୁତି ସରିଥିବାବେଳେ ଏମ୍ସ ପରିସରରେ ବିଶାଳ କ୍ରିଟିକାଲ କେୟାର ହସ୍ପିଟାଲ୍ ଠିଆ ହେବ ।

ଗୋଟିଏ ବର୍ଷ ଭିତରେ ଏହି ହସ୍ପିଟାଲ୍ କାମ ସରିବ । ଏଥିରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିବ । ଏହି ସ୍ୱତନ୍ତ୍ର କେନ୍ଦ୍ରରେ ଅଚଳ ଅଙ୍ଗ, ଗୁରୁତର ସଂକ୍ରମଣ, ଆଘାତର ଚିକିତ୍ସା ସହ ବଡ଼ ଅସ୍ତ୍ରୋପଚାରର ପରବର୍ତ୍ତୀ ଜଟିଳତା ଆଦିର ଚିକିତ୍ସା ମିଳିପାରିବ । ଉନ୍ନତମାନର ଚିକିତ୍ସା ଉପକରଣ ଏବଂ ଉଚ୍ଚ ତାଲିମପ୍ରାପ୍ତ ଡାକ୍ତରୀ ଦଳ ଦ୍ୱାରା ୨୪/୭ ତଦାରଖ ସୁବିଧା ରହିବ । ସେହିପରି ଏଠାରେ ବିଶେଷଜ୍ଞ ଡାକ୍ତର, ଉନ୍ନତ ମନିଟରିଂ ଉପକରଣ, ଭେଣ୍ଟିଲେଟର ଏବଂ ଇନଫ୍ୟୁଜନ ପମ୍ପର ସୁବିଧା ରୋଗୀଙ୍କୁ ମିଳିପାରିବ । ଅପରପକ୍ଷେ ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲ ପରିସରରେ ନିର୍ମିତ ନୂଆ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଗତବର୍ଷ ଡିସେମ୍ବର ଶେଷରେ ଏହା ଲୋକାର୍ପଣ ହେବାକୁ ଥିବା ବେଳେ ହୋଇନଥିଲା । ଖୁବଶୀଘ୍ର ଏହାର ଲୋକାର୍ପଣ ପାଇଁ ସମୟ ଧାର୍ଯ୍ୟ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ୨୦୨୨ରେ ହସ୍ପିଟାଲର ଆଶୁଚିକିତ୍ସା କେନ୍ଦ୍ର ସମ୍ମୁଖରେ ଏହି ଲେବଲ-୧ ଟ୍ରମା କେୟାର ସେଣ୍ଟରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ମୋଟ ୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି କେନ୍ଦ୍ରଟି ୫ମହଲା ବିଶିଷ୍ଟ । ଏହି ଟ୍ରମା କେୟାର ସେଣ୍ଟରରେ ମୋଟ ୨୦୦ ଶଯ୍ୟା ରହିବ । ଆଶୁ ଚିକିତ୍ସା (କାଜୁଆଲିଟି)ରୁ ରୋଗୀ ସଂଖ୍ୟା କମାଇବା ପାଇଁ ଏହି ଟ୍ରମା କେୟାର ୟୁନିଟରେ ଅସ୍ଥିଶଲ୍ୟ(ଅର୍ଥୋପେଡିକ୍), ସର୍ଜରୀ(ଅପରେସନ୍) ବିଭାଗ ସହ ମଡ୍ୟୁଲାର ଓଟି, ପ୍ଲାଷ୍ଟିକ୍ ସର୍ଜରୀ, ନିଶ୍ଚେତକ ବିଭାଗ ଓ ବିଭିନ୍ନ ରୋଗୀ ୱାର୍ଡ ରହିଛି । କୋଠାର ତଳେ ମୋଟ ୪ଟି ଜରୁରିକାଳୀନ ଓଟି ରହିବ । ୮ଶଯ୍ୟା ବିଶିଷ୍ଟ ଟ୍ରମା ଆଇସିୟୁ ରେଡିଓ ଡାଇଗ୍ନୋଷ୍ଟିକ୍ ଚିକିତ୍ସା ସେବା ମିଳିବ । ପ୍ରଥମ ମହଲାରେ ଏକକାଳୀନ ୨୦ ଶଯ୍ୟା ବିଶିଷ୍ଟ ଟ୍ରମା ବେଡ୍, ୨୦ଟି ମେଡିସିନ୍ ବେଡ୍, ୩ଟି କ୍ୟାବିନ୍, ୧୦ଟି ଆଇସିୟୁ ବେଡ୍ ଓ ୮ଟି ହାଇ ଡେଫିସିଏନ୍ସି ବେଡ୍ ମଧ୍ୟ ରହିବ ।

ଦ୍ୱିତୀୟ ମହଲାରେ ୨ଟି ଟ୍ରମା ଓଟି, ୮ଟି ଅସ୍ତ୍ରୋପଚାର ପରବର୍ତ୍ତୀ ବେଡ୍, ୬ଟି ପୂର୍ବ ଅସ୍ତ୍ରୋପଚାର ବେଡ୍ ରହିବ । ତୃତୀୟ ମହଲାରେ ଏକ ସମ୍ମିଳନୀ କକ୍ଷ ବ୍ୟବସ୍ଥା କରାଯିବ । ସେଠାରେ ଫିଜିଓଥେରାପି ୟୁନିଟ ସହ ଦୁଇଟି ଶଲ୍ୟ ଓଟି ଓ ୨୧ଟି ଶଯ୍ୟା ବିଶିଷ୍ଟ ଆଇସିୟୁ ରହିବ । ଚତୁର୍ଥ ମହଲାରେ ୧୦ଟି ଶଯ୍ୟା ବିଶିଷ୍ଟ ବୟୋବୃଦ୍ଧ ଆଇସିୟୁ(ଜେରିଆଟ୍ରିକ) ସହ ୩ଟି ଲେଖାଏଁ ନେଫ୍ରୋଲୋଜି ଓ ଡାୟାଲିସିସ୍ ଶଯ୍ୟା ରହିବ । ଦିବ୍ୟାଙ୍ଗ, ବୟସ୍କ ରୋଗୀଙ୍କ ପାଇଁ ଲିଫ୍ଟ ସହ ହ୍ୱିଲଚେୟାର ଯିବା ପାଇଁ ସ୍ଲୋପିଂ ସୁବିଧା ରହିଛି ।

Leave a Reply

Your email address will not be published. Required fields are marked *