ମଥୁରାନଗରୀ : ମଥୁରାରେ କପଟ ଧନୁଯାତ୍ରା ରଚିଥିବା ମହାରାଜା କଂସ ଭଣଜା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପକ୍କା ଯୋଜନା କରିଥିଲେ ବି ମୃତ୍ୟୁ ଭୟରୁ ମୁକ୍ତ ହୋଇପାରୁନାହାନ୍ତି । ଦୈବୀବାଣୀ ତାଙ୍କୁ ବାରମ୍ବାର ଅସ୍ଥିର କରିଦେଉଥିବା ବେଳେ ଶୂନ୍ୟରେ ମିଳାଇ ଯାଇଥିବା ବିଜୁଳିକନ୍ୟାର ଅଟ୍ଟହାସ୍ୟ ଓ ତତେ ମାରିବ ଯିଏ, ଗୋପରେ ବଢ଼ୁଛି ସିଏ … ସୂଚନା ବିକଳ କରିଦେଉଛି । ଏପଟେ ମହାମନ୍ତ୍ରୀ ଅକ୍ରୂରଙ୍କ ଶୁଭ ଆଗମନକୁ ଅପେକ୍ଷା କରିଥିଲେ ମଧ୍ୟ ମହାରାଜା କଂସ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ମନକୁ ଭୁଲାଇବା ପାଇଁ ବ୍ୟସ୍ତ ବିବ୍ରତ ମଥୁରା ନରେଶ କଂସ ଭଗବାନଙ୍କ ଉପରେ ରାଗ ସୁଝାଇବାକୁଯାଇ ମୁନୀଗଣଙ୍କ ଉପରେ ଅତ୍ୟାଚାର କରିଛନ୍ତି ।
ନଗର ଭ୍ରମଣରେ ପ୍ରଜାଙ୍କୁ କଷଣ ଓ ଜରିମାନା ଆଦେଶ ଦେଇ ଅସୁରପଣିଆ ଜାହିର କରିଥିବା ବେଳେ ଆମ୍ରବନରେ ତପସ୍ୟାରତ ମୁନି ଋଷିମାନଙ୍କ ତପସ୍ୟାସ୍ଥଳରେ ଅତ୍ୟାଚାର କରି ଭଗବାନଙ୍କ ଉପରେ ରାଗ ସୁଝାଇଛନ୍ତି । ସେନାପତି ପ୍ରଦ୍ୟୁତଙ୍କ ନେତୃତ୍ୱରେ ମଥୁରା ସୈନ୍ୟଙ୍କୁ ବିଭିନ୍ନ ସ୍ଥାନକୁ ପ୍ରେରଣ କରି ଋଷିଙ୍କ ଆଶ୍ରମରେ ଆକ୍ରମଣ କରି ଯଜ୍ଞକୁଣ୍ଡ ଭଗ୍ନ କରିବା ସହିତ ଋଷିମୁନିଙ୍କୁ ଧରିଆଣି କାରାଗାରରେ ନିକ୍ଷେପ କରିବାକୁ ଆଦେଶ ଦେଇଥିଲେ । କଂସର ଅନ୍ୟାୟ ଅତ୍ୟାଚାରରେ ଭୟାର୍ତ୍ତ ମୁନୀଗଣ ମୁକ୍ତି ପାଇଁ ଦେବଗଣଙ୍କୁ ସ୍ମରଣ କରିଥିଲେବି କଂସଦାଉରୁ ମୁକ୍ତି ପାଇନାହାନ୍ତି । କୃଷ୍ଣଭୟରେ ଜଡ଼ସଡ଼ କଂସ ଯମରାଜ ଓ ଇନ୍ଦ୍ରରାଜାଙ୍କୁ ବନ୍ଦୀ କରିଥିଲେ ସୁଦ୍ଧା ଭରସା କରିପାରିନାହାନ୍ତି । ଏବଂ ମୃତ୍ୟୁକୁ ଏଡ଼ାଇବା ପାଇଁ କଂସାସୁର ବିଭିନ୍ନ ଆସୁରିକ ଶକ୍ତିର ସାହାଯ୍ୟ ନେଇ ଯଜ୍ଞ ଉପାସନାରେ ତାରଣ କର୍ତ୍ତା ଦେବ ଦେବ ମହାଦେବଙ୍କୁ ଆରାଧାନା କରିଥିଲେ । ଏବଂ ମହାଦେବଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ରୁଦ୍ରଶୂଳ ପ୍ରାପ୍ତ ହୋଇଥିଲେ ।
ଶିବଙ୍କ ବଳରେ ବଳୀୟାନ ହୋଇଯାଇଥିବା କଂସ ପୁଣିଥରେ ଫେରିପାଇଥିବା ଶକ୍ତିର ଅପପ୍ରୟୋଗ କରି ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରିଥିଲେ । ତଥାପି ମନରେ ଲାଗି ରହିଥିବା ମୃତ୍ୟୁ ଆଶଙ୍କା ଓ ଭୟକୁ ଏଡ଼ାଇବା ପାଇଁ ମନକୁ ଭୁଲାଇବା ପାଇଁ ରଙ୍ଗମହଲକୁ ଯାଇ ସୁରାପାନ ଓ ରାଜ ନର୍ତ୍ତକୀମାନଙ୍କ ଗହଣରେ ନିଜକୁ ବ୍ୟସ୍ତ ରଖି ମହାରାଜା କଂସ ଭବିଷ୍ୟତ ଯୁଦ୍ଧ ଚିନ୍ତାରେ ମଜ୍ଜି ଯାଇଥିଲେ । ଦରବାରରେ ହରି ଶବ୍ଦର ଉଚ୍ଚାରଣରେ ବିରକ୍ତ ହୋଇଉଠୁଥିବା କଂସ କରଦ ରାଜାମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ଚିଟାଉ ପ୍ରେରଣ କରି ସମ୍ମୁଖ ଯୁଦ୍ଧର କଳ୍ପନାରେ ବିଭୋର ରହିଥିବା ବେଳେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପୂର୍ବତନ ମହାମନ୍ତ୍ରୀ ଅକୃରଙ୍କ ଠାରୁ ରାମକୃଷ୍ଣଙ୍କ ମଥୁରାନଗରୀକୁ ଆଗମନ ଓ ମଧୁବନରେ ବିଶ୍ରାମ କରୁଥିବାର ଖବର ପାଇ ଦୁଇଗୁଣ ଉାହରେ ନୃତ୍ୟଗୀତ ଉପଭୋଗ କରିଥିଲେ । ମଥୁର ଆମ୍ରବନ ଦୃଶ୍ୟ ଆଜି ଗୋବିନ୍ଦପାଲି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ କଳାକାରମାନଙ୍କ ଋଷିମୁନୀ ବେଶରେ ଅଭିନୟ ଦର୍ଶକଙ୍କୁ ବେଶ ଛୁଇଁପାରିଥିଲା ।
